Blog
୧ ମାସ ଅସ୍ତ୍ରବିରତି, ପରମାଣୁ କାର୍ଯ୍ୟକ୍ରମ ବନ୍ଦ; ମାନିବ ତ ଇରାନ ?
Highlights
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଥମିବାର ନାଁ ନେଉନି । ଏହି ସଂଘର୍ଷ ଆମେରିକାକୁ ଭାରି ପଡ଼ୁଛି । ଟ୍ରମ୍ପ ଏବେ ଚାହୁଁଛନ୍ତି କୌଣସି ନା କୌଣସି ପ୍ରକାରେ ବନ୍ଦ ହେଇଯାଉ ଯୁଦ୍ଧ । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଚାଲ୍ ଖେଳିଛନ୍ତି ।
ସୂଚନା ଅନୁସାରେ, ଇରାନ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଦେଇଛନ୍ତି ୧୫ ସୂତ୍ରୀ ପ୍ରସ୍ତାବ । ଯେଉଁଥିରେ ଗୋଟିଏ ମାସ ଧରି ଅସ୍ତ୍ରବିରତି ପ୍ରସ୍ତାବ ରହିଛି । ଫଳରେ ଯୁଦ୍ଧ ବନ୍ଦ ପାଇଁ ପର୍ଯ୍ୟାପ୍ତ ସମୟ ଆଲୋଚନା ହୋଇପାରିବ । ଏ ସୂଚନା ଇସ୍ରାଏଲ୍ର ଚ୍ୟାନେଲ୍ ୧୨ ଏକ ରିପୋର୍ଟକୁ ଆଧାର କରି ଦେଇଛି ।
ଏଥିସହ ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧରେ ନୂଆ ମୋଡ଼, ଚତୁର୍ଥ ସପ୍ତାହରେ ପଛଘୁଞ୍ଚା ଦେଲେ ଟ୍ରମ୍ପ
ଟ୍ରମ୍ପ ଦେଇଥିବା ୧୫ ସୂତ୍ରୀ ପ୍ରସ୍ତାବରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ସହ ହର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବା ସାମିଲ୍ ରହିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ପ୍ରସ୍ତାବକୁ ପାକିସ୍ତାନ ଜରିଆରେ ଇରାନକୁ ପଠାଇ ଦିଆଯାଇଛି । ଇରାନ ଯୁଦ୍ଧ ରୋକିବା ପାଇଁ ପାକିସ୍ତାନ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଅଛି ।
ଟ୍ରମ୍ପଙ୍କ ୧୫ ସୂତ୍ରୀ ଶାନ୍ତି ପ୍ରସ୍ତାବ
- ଇରାନକୁ ତାର ସମସ୍ତ ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିବାକୁ ପଡ଼ିବ ।
- ଇରାନ ମାଟିରେ ୟୁରେନିୟମ କାର୍ଯ୍ୟକ୍ରମ ବନ୍ଦ କରାଯିବ ।
- ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ ଲାଗି ଇରାନ ପ୍ରୟାସ କରିବ ନାହିଁ । ଏନେଇ ଲିଖିତ ଭାବେ ପ୍ରତିବଦ୍ଧତା ଦର୍ଶାଇବ ।
- ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ସାମୁଦ୍ରିକ ପଥ ଘୋଷଣା କରିବ ।
- ବାଲିଷ୍ଟିକ ମିସାଇଲ୍ ରେଞ୍ଜ ଓ ମହଜୁଦ୍ ସୀମା ନିର୍ଦ୍ଧାରଣ ।
- ମଧ୍ୟପ୍ରାଚ୍ୟରେ ସକ୍ରିୟ ଇରାନର ସହଯୋଗୀ ଗୋଷ୍ଠୀ (ହିଜବୁଲ୍ଲା କିମ୍ବା ହୁତି)ଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଦେବା ବନ୍ଦ କରିବା ।
- ୩୦ ଦିନର ଅସ୍ତ୍ରବିରତି: ଏହା ଉପରେ ବ୍ୟାପକ ଆଲୋଚନା ପାଇଁ ଆମେରିକା ୩୦ ଦିନ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଛି ।
ଇରାନକୁ କ’ଣ ମିଳିବ ?
- ଯଦି ଇରାନ ଏହି ସର୍ତ୍ତ ମାନିନିଏ ତାହେଲେ ଆମେରିକା ଲଗାଇଥିବା ସମସ୍ତ ପରମାଣୁ ପ୍ରତିବନ୍ଧକ ହଟାଇ ନେବ ।
- ଇରାନକୁ ‘Bushehr’ ରିଆକ୍ଟର ଭଳି ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ‘ସିଭିଲିଆନ୍ ନ୍ୟୁକ୍ଲିଅର ଏନର୍ଜି ପ୍ରୋଗ୍ରାମ’ ପାଇଁ ସହାୟତା ମିଳିବ ।
- ‘ସ୍ନାପବ୍ୟାକ’ ମେକାନିଜିମକୁ ହଟାଇ ଦିଆଯିବ, ଫଳରେ ପ୍ରତିବନ୍ଧକ ସ୍ଵୟଂଚାଳିତ ବାବେ ପୁଣି ଥରେ ଲାଗୁ ହେବ ନାହିଁ ।
ଏଥିସହ ପଢ଼ନ୍ତୁ: ଇରାନ ଉପରେ ଆକ୍ରମଣ ପାଇଁ ମନ୍ତ୍ରୀଙ୍କୁ ଦାୟୀ କଲେ ଟ୍ରମ୍ପ, କହିଲେ ‘ତୁମେ ତ କହିଥିଲ…’
ହର୍ମୁଜ ଖୋଲିଲେ ପ୍ରତିବନ୍ଧକ ହଟିବ
ରିପୋର୍ଟ ଅନୁସାରେ, ହର୍ମୁଜ ପ୍ରଣାଳୀ ଦେଇ ଇରାନ କୌଣସି ବାଧା ବିନା ସମସ୍ତ ଜାହାଜ ଚଳାଚଳକୁ ଅନୁମତି ଦେବ । ହର୍ମୁଜ ହେଉଛି ତୈଳ ଓ ଗ୍ଯାସ ପରିବହନ ପାଇଁ ଗୁରୁତ୍ଵପୂର୍ଣ୍ଣ ପଥ । ଏବେ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ଇରାନ ଆଂଶିକ ପ୍ରତିବନ୍ଧକ ଲଗାଇଛି । ଫଳରେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇଛି । ହର୍ମୁଜ ଉପରୁ ଇରାନ ପ୍ରତିବନ୍ଧକ ହଟାଇଲେ, ତା ଉପରେ ଲାଗିଥିବା ସମସ୍ତ କଟକଣା ହଟିଯିବ ।
- Trending




