ଯୁବପିଢିଙ୍କୁ ମିଳିବ ଚାକିରି; ଜର୍ମାନୀରୁ ଭାରତୀୟଙ୍କ ଲାଗି ଖୁସି ଖବର

Highlights

ଚାକିରି ପାଇଁ ଭାରତୀୟଙ୍କୁ ଖୋଜୁଛି ଜର୍ମାନୀ
ହଜାର ହଜାର ଯୁବକଙ୍କୁ ଦେବ ନିଯୁକ୍ତି

ଜର୍ମାନୀରେ ଦେଖିବାକୁ ମିଳିଛି କର୍ମଜୀବୀ ସଙ୍କଟ । ଦେଶରେ ଯୁବପିଢିଙ୍କ ଜନସଂଖ୍ୟା ହ୍ରାସ ପାଇବା ପରେ ଜର୍ମାନୀ ଏବେ ବାହାର ଦେଶର କୁଶଳ, ଦକ୍ଷ କର୍ମଜାବୀଙ୍କୁ ଚାକିରି ଦେବାକୁ ଯାଉଛି । ନିଯୁକ୍ତି ଦେବା ଲାଗି ଜର୍ମାନୀ ସରକାର ଭାରତୀୟଙ୍କ ଉପରେ ଫୋକସ୍ କରିଛନ୍ତି । କର୍ମଜୀବୀ ସଙ୍କଟରୁ ମୁକୁଳିବା ଲାଗି ଜର୍ମାନୀ ଭାରତୀୟଙ୍କୁ ଡାକୁଥିବା ଜଣାପଡ଼ିଛି । ତେବେ ଯେଉଁ ଯୁବପିଢି ଦେଶ ବାହାରେ କାମ କରିବାକୁ ଚାହାଁନ୍ତି, ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ ।

ଏବେ ଜର୍ମାନୀର ବିଭିନ୍ନ କ୍ଷେତ୍ରରେ ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗୋଟିଏ ପଟେ ଜର୍ମାନୀକୁ ନିଜ କାମ ଲାଗି କର୍ମଚାରୀ ମିଳୁଥିବାବେଳେ ଏପଟେ ଭାରତୀୟଙ୍କୁ ନିଯୁକ୍ତି ମିଳୁଛି । ଭାରତରେ ଅନେକ ଶିକ୍ଷିତ ବେକାରୀ ଥିବାବେଳେ ଚାକିରି ଅନ୍ଵେଷଣରେ ଅଛନ୍ତି । ଡିଗ୍ରୀ ଧରି ବସିଥିଲେ ସୁଦ୍ଧା ଉପଯୁକ୍ତ ଚାକିରି ଖଣ୍ଡିଏ ମିଳୁନାହିଁ । ଏପରିକି ଉଚ୍ଚ ଶିକ୍ଷା କରି ମଧ୍ୟ ତଳ ସ୍ତରର ଚାକିରି ପାଇଁ ଯୁବପିଢି ଆବେଦନ କରୁଛନ୍ତି । ଜର୍ମାନୀର ଏହି ଚାକିରି ସୁଯୋଗ ଅନେକଙ୍କୁ ଲାଭ ପହଞ୍ଚାଇପାରେ।

ଜର୍ମାନୀରେ ବୁଢା ହେଉଛନ୍ତି ଲୋକ

ମଧ୍ୟବର୍ତ୍ତୀ ୟୁରୋପୀୟ ଦେଶ ଜର୍ମାନୀ ଏବେ ଗମ୍ଭୀର ଜନସଂଖ୍ୟା ସମ୍ପର୍କିତ ସଙ୍କଟ ଦେଇ ଗତି କରୁଛି । ଦେଶରେ ଯୁବପିଢିଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଏବଂ ବୟସ୍କ ଓ ବୃଦ୍ଧଙ୍କ ସଂଖ୍ୟା ବଢୁଛି । ବର୍ଷ ୨୦୨୪ରେ ଏକ ଅଧ୍ୟୟନ ଅନୁସାରେ, ଜର୍ମାନୀର ଅର୍ଥବ୍ୟବସ୍ଥାକୁ ପ୍ରତିବର୍ଷ ୨,୮୮,୦୦୦ ବିଦେଶୀ କର୍ମଚାରୀଙ୍କ ଆବଶ୍ୟକ ପଡୁଛି । ତେବେ ଜର୍ମାନୀରେ ଜନ୍ମ ହାର କମିବା ପରେ ଏହି ଉତ୍କଟ ସମସ୍ୟା ଦେଖିବାକୁ ମିଳିଛି ।

ବର୍ଟେଲସମେନ୍ ଫାଉଣ୍ଡେସନ ଥିଙ୍କ ଟ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଯଦି ଜର୍ମାନୀ ନିଜର କାମ ଲାଗି ବାହାରୁ ବିଦେଶୀ କର୍ମଚାରୀଙ୍କ ନ ଆଣୁଛି ତେବେ ଆସନ୍ତା ୨୦୪୦ ସୁଦ୍ଧା ଦେଶରେ ୱାର୍କଫୋର୍ସ ବା କର୍ମବଳ ୧୦%କୁ ହ୍ରାସ ପାଇପାରେ । ନିକଟରେ ଦେଶରେ ଯେଉଁମାନେ ଅବସର ନେଇଛନ୍ତି, ସେମାନଙ୍କ ସ୍ଥାନ ନେବା ଲାଗି ପର୍ଯ୍ୟାପ୍ତ ଯୁବପିଢି ନାହାନ୍ତି । ଏପରି ସ୍ଥିତିରେ ଭାରତୀୟ ଏହି ଅଭାବକୁ ହ୍ରାସ କରିପାରିବେ ବୋଲି ଆଶା କରିଛି ଜର୍ମାନୀ ।

ପଢନ୍ତୁ ଏହି ଖବର: ବିଜ୍ଞପ୍ତି ପ୍ରକାଶ କଲା BSE, ମେ ୨୯ରେ OTET- ୨୦୨୬ ପରୀକ୍ଷା

ଭାରତରେ ଏବେ ଦୁନିଆର ସବୁଠୁ ଯୁବବର୍ଗ ଅଛନ୍ତି । ଦେଶରେ ୨୫ ବର୍ଷରୁ କମ ବୟସର ପ୍ରାୟ ୬୦ କୋଟି ଯୁବକ ଅଛନ୍ତି । ସେଥିମଧ୍ୟରୁ ପ୍ରାୟ ୧.୨ କୋଟି କର୍ମବଳରେ ସାମିଲ ହୋଇପାରୁଛନ୍ତି । ଅପରପକ୍ଷେ କହିବାକୁ ଗଲେ ଭାରତରେ ବହୁ ଯୁବପିଢି ବେକାରୀ ହୋଇ ବସିଛନ୍ତି । ଯଦି ଏହି ବର୍ଗଙ୍କୁ ଜର୍ମାନୀରେ ଚାକିରି ମିଳୁଛି, ତେବେ ସେମାନଙ୍କୁ ରୋଜଗାର ମିଳିବା ସହିତ ଭାରତୀୟ ଅର୍ଥନୀତିରେ ମଧ୍ୟ ଏହାର ଲାଭ ହେବ ।

ଭାରତ ଓ ଜର୍ମାନୀ ମଧ୍ୟରେ ବୁଝାମଣା
ବର୍ଷ ୨୦୨୨ରେ ଭାରତ ଓ ଜର୍ମାନୀ ମଧ୍ୟରେ ‘ପ୍ରବାସ ଓ ଗତିଶିଳତା’ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା । ଏହାଦ୍ଵାରା ଦକ୍ଷ ଭାରତୀୟଙ୍କୁ ଜର୍ମାନୀରେ ଚାକିରି କରିବା ଲାଗି ସୁଯୋଗ ମିଳିବ । ବର୍ଷ ୨୦୨୪ରେ ଜର୍ମାନୀ ଭାରତୀୟଙ୍କ ଲାଗି ‘ଦକ୍ଷ ଭିସା କର୍ମଚାରୀ କୋଟା’କୁ ପ୍ରତିବର୍ଷ ୨୦,୦୦୦ରୁ ବୃଦ୍ଧି କରି ୯୦,୦୦୦ କରିଥିଲା । ଏକ ରିପୋର୍ଟ ଅନୁସାରେ, ବର୍ଷ ୨୦୨୪ରେ ଜର୍ମାନୀରେ ୧,୩୬,୬୭୦ ଭାରତୀୟ କାମ କରୁଛନ୍ତି । ଏହି ସଂଖ୍ୟା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

ଅଧିକ ଖବର ପଢନ୍ତୁ…