ଅଚଳ ଖାତାରେ ଜମା ଥିବା ୭୩ ହଜାର କୋଟି ଟଙ୍କା ଫେରାଇବାକୁ ପ୍ରସ୍ତୁତି, ଆପଣଙ୍କ ଟଙ୍କା ନାହିଁ ତ ?

Highlights

ସଂସଦରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, “ବ୍ୟାଙ୍କ, ବୀମା କମ୍ପାନୀ ଓ ମ୍ୟୁଚ୍ୟୁଆଲ୍ ଫଣ୍ଡରରେ ପ୍ରାୟ ୭୩ ହଜାର କୋଟିରୁ ଅଧିକ ଟଙ୍କା ରହିଛି । ଏହି ଟଙ୍କାର କୌଣସି ଦାବିଦାର ନାହାନ୍ତି ।

ନୂଆଦିଲ୍ଲୀ: ବ୍ୟାଙ୍କ, ବୀମା କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ଜମା କରି ଭୁଲି ଯାଇଛନ୍ତି କି ? ଅଥବା କୌଣସି କାରଣରୁ ଦାବି ଉପସ୍ଥାପନ କରିନାହାନ୍ତି । ଏ ଦିଗରେ ସରକାର ବଡ଼ ଅପଡେଟ୍ ଦେଇଛନ୍ତି । ଅଚଳ ଖାତାରେ ଜମା ଥିବା ଟଙ୍କା ଫେରସ୍ତ ପାଇଁ ସରକାର ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ।

ସଂସଦରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, “ବ୍ୟାଙ୍କ, ବୀମା କମ୍ପାନୀ ଓ ମ୍ୟୁଚ୍ୟୁଆଲ୍ ଫଣ୍ଡରରେ ପ୍ରାୟ ୭୩ ହଜାର କୋଟିରୁ ଅଧିକ ଟଙ୍କା ରହିଛି । ଏହି ଟଙ୍କାର କୌଣସି ଦାବିଦାର ନାହାନ୍ତି । ଏହି ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରାଯାଉଛି । ଏଥିପାଇଁ ଡିଜିଟାଲ୍ ଟ୍ରାକିଂ ପ୍ଲାଟଫର୍ମ ଆରମ୍ଭ ହୋଇଛି । ଦେଶବ୍ୟାପୀ ସଚେତନତା ଅଭିଯାନ ଚାଲିଛି ।”

ଏଥିସହ ପଢ଼ନ୍ତୁ: ରେଳବାଇର ବଡ଼ ଘୋଷଣା, ୮ ଘଣ୍ଟା ପୂର୍ବରୁ ଟିକେଟ୍‌ କ୍ୟାନସେଲ୍‌ କଲେ ମିଳିବ ନାହିଁ ରିଫଣ୍ଡ

କେବଳ ବ୍ୟାଙ୍କରେ ୬୦ ହଜାର କୋଟି

କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଦେଇଥିବା ତଥ୍ୟ ଅନୁସାରେ, ବ୍ଯାଙ୍କରେ ଥିବା ୬୦ ହଜାର ୫୦୦ କୋଟି ଜମାର କେହି ଦାବିଦାର ନାହାନ୍ତି । ଉକ୍ତ ଜମା ଟଙ୍କାକୁ ଲୋକଙ୍କୁ ଫେରସ୍ତ ପାଇଁ ପ୍ରୟାସ କରାଯାଉଛି । ଜାନୁଆରୀ ୨୦୨୬ ଶେଷ ସୁଦ୍ଧା ସରକାରୀ ବ୍ୟାଙ୍କ ୬୦, ୫୧୮ କୋଟି ଟଙ୍କା ଆରବିଆଇର DEA ଫଣ୍ଡକୁ ଟ୍ରାନ୍ସଫର କରିଛନ୍ତି ।

ଏଥିସହ ବୀମା ପରିଚାଳନା କରୁଥିବା ସଂସ୍ଥା IRDAI ଏବଂ ମ୍ୟୁଚୁଆଲ୍ ଫଣ୍ଡକୁ ନିୟନ୍ତ୍ରଣ କରୁଥିବା SEBI ଅନୁସାରେ, ବୀମା କମ୍ପାନୀ ପାଖରେ ୮, ୯୭୩. ୮୯ କୋଟି ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ୩, ୭୪୯. ୩୪ କୋଟି ଟଙ୍କା ପଡ଼ି ରହିଛି ।

ମୃତକଙ୍କ ଟଙ୍କାରେ ମିଳିବ କି ସୁଧ ?

ଜମାକାରୀଙ୍କ ମୃତ୍ୟୁ ହୋଇଥିଲେ ତାଙ୍କ ଟଙ୍କା ଉଠାଣ ପାଇଁ ଆରବିଆଇ ନିୟମ ଜାରି କରିଚି । ଏଥିପାଇଁ ୨୦୨୫ ଅକ୍ଟୋବରରେ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଥିଲା । ଯେଉଁଥିରେ ସଫଳ ଦାବି ଉପସ୍ଥାପନରେ ଜମା ରାଶି ଉପରେ ୫ରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ଇନସେଣ୍ଟିଭ୍ ଦିଆଯାଉଛି ।

ଏଥିସହ ପଢ଼ନ୍ତୁ: ବଜେଟ୍‌ରେ ମହିଳାଙ୍କୁ ବଡ଼ ଭେଟି; ହୋଲି ଓ ଦୀପାବଳିରେ ଦିଲ୍ଲୀରେ ମିଳିବ ମାଗଣା LPG

ଏଥିସହ ବ୍ୟାଙ୍କଗୁଡ଼ିକ ସମୟ ସମୟରେ ଅଭିଯାନ ଚଳାଇବା, ଅଚଳ ଆକାଉଣ୍ଟ ନେଇ ସୂଚୀ ପ୍ରକାଶ କରିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କୁହାଯାଇଛଇ । ୫ ଲକ୍ଷ ପର୍ଯ୍ୟନ୍ତ ଦାବି ଉପରେ କମ୍ କାଗଜପତ୍ର ଆବଶ୍ୟକ ହେଉଥିବା ବେଳେ ଡିଜିଟାଲ୍ ବ୍ୟବସ୍ଥାରେ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରାଯାଉଛି ।

ମନ୍ତ୍ରୀଙ୍କ ଅନୁସାରେ, ୨୦୨୬ ଫେବ୍ରୁଆରୀ ପର୍ଯ୍ୟନ୍ତ ଏଭଳି ୨୩ ଲକ୍ଷ ଦାବି ଉପସ୍ଥାପନ ହୋଇଥିବା ବେଳେ ୫, ୭୭୭ କୋଟି ଟଙ୍କା ଫେରସ୍ତ କରାଯାଇଛି । ଲୋକଙ୍କ ସୁବିଧା ପାଇଁ ବୀମା ଭରୋସା ଓ ମିତ୍ର ଭଳି ଡିଜିଟାଲ୍ ପ୍ଲାଟଫର୍ମ କାର୍ଯ୍ୟ କରୁଛି । ଯେଉଁଠି ଆବେଦନ କରି ଆପଣ ଅଚଳ ଖାତାରେ ଥିବା ଟଙ୍କା ପାଇ ପାରିବେ ।