Blog
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରେ ବିଜେଡିରେ ବଢ଼ିଲା ବିଶୃଙ୍ଖଳା; ନବୀନଙ୍କୁ ଟେନସନ୍ ଦେବ ପୌର ନିର୍ବାଚନ
Highlights
- ବାଗୀ ବିଧାୟକଙ୍କୁ ନିଲମ୍ବନ ପରେ ବିଜେଡିରେ ବଡ଼ ବିସ୍ଫୋରଣ
- ବର୍ଷିଲେ ସୌଭିକ, ଚକ୍ରମଣି କହିଲେ ନିଲମ୍ବନ ଗ୍ରହଣୀୟ ନୁହେଁ
- ବାଲେଶ୍ୱରରେ ସୁବାସିନୀ ସମର୍ଥକଙ୍କ ଇସ୍ତଫା ପର୍ବ
ଭୁବନେଶ୍ଵର: ବିଜେଡିରେ ମହାବିସ୍ଫୋରଣ । ବାଗୀ ବିଧାୟକଙ୍କ ବିରୋଧରେ ଦଳ ଆକ୍ସନ ତ ନେଲା, ହେଲେ ଏବେ ଦଳକୁ ସାମ୍ନା କରିବାକୁ ପଡୁଛି ଭୟଙ୍କର ରିଆକ୍ସନ । ୬ ବିଧାୟକଙ୍କ ନିଲମ୍ବନ ପରେ ଶଙ୍ଖ ଭବନଠାରୁ ଆରମ୍ଭ କରି ତୃଣମୂଳସ୍ତର ଯାଏ ସବୁଠି ବିଦ୍ରୋହର ବହ୍ନି ଦେଖିବାକୁ ମିଳୁଛି ।
କଟକର ରାଜରାସ୍ତାରେ ଦେବୀ ତ୍ରିପାଠୀଙ୍କ ସମର୍ଥକମାନେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରୁଥିବା ବେଳେ ବାଲେଶ୍ୱର ବାଲିଆପାଳରେ ସୁବାସିନୀ ଜେନାଙ୍କ ସମର୍ଥନରେ ଦଳ ଛାଡ଼ିଛନ୍ତି ହଜାର ହଜାର କର୍ମୀ ।
ସେପଟେ ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କ ପାଲଟା ଆକ୍ରମଣ ଦଳୀୟ ଅସ୍ଥିରତାକୁ ଆହୁରି ବଢ଼ାଇ ଦେଇଛି । ବିଶ୍ୱାସଘାତକତା ଅଭିଯୋଗ ଓ ନିଲମ୍ବନର ଏହି ଛକାପଞ୍ଝା ଭିତରେ ଏବେ ସଂକଟରେ ବିଜେଡିର ସଂଗଠନ ।
ଏଥିସହ ପଢ଼ନ୍ତୁ: ନିଲମ୍ବନ ପରେ ମୁହଁଖୋଲିଲେ ବିଧାୟକ କହିଲେ ନିଲମ୍ବନ ନିର୍ଦ୍ଦେଶକୁ ମୁଁ ଗ୍ରହଣ କରି ପାରୁନି
ବିଜେଡି ପାଇଁ ବୁମେରାଂ ହେଲା ୬ ବିଧାୟକଙ୍କୁ ନିଲମ୍ବନ । ବାଗୀ ବିଧାୟକଙ୍କ ସମର୍ଥନରେ ଦଳ ଛାଡ଼ିଲେ ତୃଣମୂଳ ସ୍ତର କର୍ମୀ ଓ ନେତା । ରାଜ୍ୟ ସଜାଡୁ ସଜାଡୁ ବିଗିଡ଼ିଲାଣି ବିଜେଡିର ଜିଲ୍ଲା ସଂଗଠନ । ବାଲେଶ୍ଵର ବାଲିଆପାଳ ବ୍ଲକ୍ ସଭାପତିଙ୍କ ସହ ଦୁଇ ଜଣ ଜିଲ୍ଲା ପରିଷଦ ଓ ୨ ହଜାର କର୍ମୀ ବିଜେଡିକୁ ବାଏ ବାଏ କରିଛନ୍ତି ।
ସେପଟେ କଟକରେ ବି ରାଜରାସ୍ତାକୁ ଓହ୍ଲାଇବା ସହ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଜାଳିଛନ୍ତି ଦେବୀ ତ୍ରିପାଠୀଙ୍କ ସମର୍ଥକ । ଆଉ ଏପଟେ ସାମ୍ବାଦିକ ସମ୍ମିଳନୀ କରି ଦଳ ଓ ସୁପ୍ରିମୋଙ୍କ ଉପରେ ବର୍ଷିଛନ୍ତି ବିଧାୟକ ସୌଭିକ ବିଶ୍ଵାଳ । କହିଛନ୍ତି, “ବାପାଙ୍କ ବହିଷ୍କାର ବେଳେ ମୁଁ ବି ବହିଷ୍କାର ହୋଇଯାଇଛି ବୋଲି ଭାବିଥିଲି । ଯେଉଁ ଦଳ ବାପାଙ୍କ ମୁଣ୍ଡ କାଟ କରିଛି, ସେ ଦଳକୁ ପୁଅ କେମିତି ଭୋଟ୍ ଦେବ ।”
ଏବେ ରାଜନୈତିକ ଅସ୍ଥିରତା ଚାଲିଛି । ସମୟ କହିବ ରାଜନୈତିକ ନିଷ୍ପତ୍ତ କ’ଣ ହେବ ବୋଲି କହିଛନ୍ତି ସୌଭିକ । ସେପଟେ ଚକ୍ରମଣୀ କହଁର ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, “ମୁଁ ନିଲମ୍ବନ ଆଦେଶକୁ ଗ୍ରହଣ କରିପାରୁନି । ମୁଁ ବିଜେଡି ସହ ବିଶ୍ୱାସଘାତକତା କରିନି । ବିଜୁ ଲିଗାସୀକୁ ଭୋଟ୍ ଦେଇଛି ।”
ଅନ୍ୟପଟେ ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ କହିଛନ୍ତି, “ଦଳ ସହ ବିଶ୍ୱାସଘାତକତା କରିଥିବା ଦେବୀ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ ଭବିଷ୍ୟତରେ ଖତ ହୋଇଯିବେ । ସେମାନେ କଟକକୁ କଳଙ୍କିତ କରିଛନ୍ତି ବୋଲି କହିଛନ୍ତି ସୁବାସ ।”
ଏଥିସହ ପଢ଼ନ୍ତୁ: କ୍ରସ୍ ଭୋଟିଂରେ ବଡ଼ ଆକ୍ସନ୍, ବିଜେଡିର ୬ ବିଧାୟକ ନିଲମ୍ବିତ
ଆଉ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, “ଦଳର ସମ୍ବିଧାନରେ ଶୃଙ୍ଖଳା ଭାଙ୍ଗି ଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳର କଲେକ୍ଟିଭ ନିଷ୍ପତ୍ତିକୁ ମାନି ନଥିବାରୁ ସଭ୍ୟ ପଦ କାହିଁକି ରଦ୍ଦ କରାନଯିବ ସେ ନେଇ ବାଚସ୍ପତିଙ୍କ ପାଖରେ ବିଜେଡି ଆବେଦନ କରିବ ।”
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବିଜେଡିରେ ନିଲମ୍ବନ ଓ ଇସ୍ତଫା ପର୍ବ ସୁପ୍ରିମୋଙ୍କ ପାଇଁ ଟେନସନ ବଢ଼ାଇଛି । ତେବେ, ଏସବୁ ଭିତରେ ଆଗକୁ ନିଲମ୍ବିତ ବିଧାୟକ ଓ ନବୀନ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ନଜର ।
- Trending




