Blog
ସାଂସଦଙ୍କ ପାଇଁ ଲାଗୁ ହେଉଥିବା ୧୪ ଦିନିଆ ନିୟମ କ’ଣ? ନମାନିବାରୁ ଚାଲିଯାଇଥିଲା ପଦ
Highlights
14 Days Law for MP: ୨୦୨୬ ରାଜ୍ୟସଭା ନିର୍ବାଚନରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଉଭୟଙ୍କୁ ଆସନ୍ତା ମାର୍ଚ୍ଚ ୩୦ ସୁଦ୍ଧା ବିହାର ବିଧାନ ମଣ୍ଡଳ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ହେବ। କାରଣ ଯଦି ନୀତିଶ କୁମାର ଏମଏଲସି (MLC) ଏବଂ ନୀତିନ ନବୀନ ଏମଏଲଏ (MLA) ପଦରୁ ଇସ୍ତଫା ଦିଅନ୍ତି ନାହିଁ ତାହେଲେ ଉଭୟଙ୍କ ରାଜ୍ୟସଭା ସାଂସଦ ପଦ ଚାଲିଯିବ।
ସାମ୍ବିଧାନିକ ବ୍ୟବସ୍ଥା ଏବଂ ଜନପ୍ରତିନିଧି ଆଇନକୁ ଏହାର କାରଣ ଭାବରେ ଦର୍ଶାଯାଉଛି। ଏପରିକି ବିହାର ମନ୍ତ୍ରୀ ଶ୍ରବଣ କୁମାର କହିଛନ୍ତି ଯେ ନୀତିଶ କୁମାରଙ୍କୁ ଅତି କମରେ ୧୪ ଦିନ ମଧ୍ୟରେ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବିହାର ବିଧାନ ପରିଷଦରୁ ଇସ୍ତଫା ଦେବାକୁ ହେବ। ଏନେଇ କୁହାଯାଉଛି ଯେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଲୋକସଭା ସଦସ୍ୟତା ମଧ୍ୟ ସମାନ ଆଧାରରେ ରଦ୍ଦ ହୋଇଥିଲା। ହେଲେ ନୀତିଶ କୁମାର ଏବଂ ନୀତିନ ନବୀନଙ୍କୁ ମାର୍ଚ୍ଚ ୩୦ ସୁଦ୍ଧା ସେମାନଙ୍କ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ବାଧ୍ୟତାମୂଳକ ନୁହେଁ।
ଲୋକ ପ୍ରତିନିଧିଙ୍କ ପାଇଁ ୧୪ ଦିନିଆ ନିୟମ କ’ଣ?
ଏହି ମାମଲାରେ ଭାରତୀୟ ସମ୍ବିଧାନର ଧାରା ୧୦୧(୨) ବ୍ୟବହାର କରାଯାଉଛି। ଏହି ବ୍ୟବସ୍ଥା ଅନୁଯାୟୀ, ଜଣେ ବ୍ୟକ୍ତି ଏକକାଳୀନ ସଂସଦ (ଲୋକସଭା ରାଜ୍ୟସଭା) କିମ୍ବା ରାଜ୍ୟ ବିଧାନମଣ୍ଡଳର (ବିଧାନସଭା/ବିଧାନପରିଷଦ) ସଦସ୍ୟ ହୋଇପାରିବେ ନାହିଁ। ଯଦି ଏପରି ହୁଏ ତାହେଲ ସମ୍ପୃକ୍ତ ସଦସ୍ୟଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୋଟିଏ ଗୃହରୁ ଇସ୍ତଫା ଦେବାକୁ ହୋଇଥାଏ। ଏହି ସମୟସୀମା ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଣୀତ ଏକ ନିୟମ ଦ୍ୱାରା ନିର୍ଣ୍ଣୟ କରାଯିବ। ଏହି ସମୟସୀମା ଏକକାଳୀନ ସଦସ୍ୟତା ନିଷେଧ ନିୟମ ୧୯୫୦ ଆଧାରରେ ସ୍ଥିର କରାଯାଇଛି। ଏହି ନିୟମ ଅନୁଯାୟୀ ଉଭୟ ଗୃହରୁ ଜଣେ ନିର୍ବାଚିତ ହେଲେ, ତାଙ୍କୁ ୧୪ ଦିନ ମଧ୍ୟରେ ଇସ୍ତଫା ଦେବାକୁ ହୋଇଥାଏ।
ନୀତିଶ କୁମାରଙ୍କୁ କେବେ ସୁଦ୍ଧା ଇସ୍ତଫା ଦେବାକୁ ପଡିବ?
ସମଗ୍ର ପ୍ରସଙ୍ଗ ସେହି ୧୪ ଦିନ ମଧ୍ୟରେ ରହିଛି। ଏହି ୧୪ ଦିନକୁ କିପରି ଗଣନା କରାଯିବ? ଏହାକୁ ନିର୍ବାଚନ ଫଳାଫଳ ଘୋଷଣା ଦିନରୁ ଗଣନା କରାଯିବ ନାଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶନ ତାରିଖରୁ ଗଣନା କରାଯିବ? ନିର୍ବାଚନ ତାରିଖ ଏବଂ ଗେଜେଟ୍ ପ୍ରକାଶନ ସମୟ ଭିନ୍ନ ଭିନ୍ନ ହୋଇଥାଏ। ନିୟମରେ କୁହାଯାଇଛି ଯେ ଜଣେ ଲୋକ ପ୍ରତିନିଧିଙ୍କୁ ବିଜ୍ଞପ୍ତି ପ୍ରକାଶିତ ହେବାର ୧୪ ଦିନ ମଧ୍ୟରେ ଇସ୍ତଫା ଦେବାକୁ ହୋଇଥାଏ। ନିର୍ବାଚନ ଫଳାଫଳ ଘୋଷଣା ତାରିଖରୁ ନୁହେଁ। ରାଜ୍ୟସଭା ନିର୍ବାଚନର ଫଳାଫଳ ଏପର୍ଯ୍ୟନ୍ତ ବିଜ୍ଞପ୍ତିରେ ପ୍ରକାଶିତ ହୋଇନାହିଁ। ଏହି କାରଣରୁ ଏବେ ନୀତିଶ କୁମାରଙ୍କୁ ବର୍ତ୍ତମାନ ତାଙ୍କ ବିଧାନ ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେବା ପାଇଁ କୌଣସି ବାଧ୍ୟ ବାଧ୍ୟକତା ନାହିଁ।
୨୦୦୬ରେ ୫୬ ଦିନ ପରେ ଦେଇଥିଲେ ଇସ୍ତଫା
ନୀତୀଶ କୁମାର ୨୦୦୪ ଲୋକସଭା ନିର୍ବାଚନରେ ବିହାରର ନାଳନ୍ଦା ଆସନରୁ ବିଜୟୀ ହୋଇଥିଲେ। ଏହାର ପର ବର୍ଷ ଅନୁଷ୍ଠିତ ହୋଇଥିବା ୨୦୦୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ବିଜୟୀ ହେବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ଏହା ପରେ ଯାଇ ସେ ୨୦ ମାର୍ଚ୍ଚ, ୨୦୦୬ରେ ବିହାର ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହୋଇଥିଲେ। ବିଧାନ ପରିଷଦ ସଦସ୍ୟ ହେବା ପରେ, ସେ ୧୫ ମେ ୨୦୦୬ରେ ନାଳନ୍ଦା ଲୋକସଭା ଆସନର ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଯାହାର ଅର୍ଥ ହେଉଛି ସେ ବିଧାନ ପରିଷଦକୁ ନିର୍ବାଚିତ ହେବାର ୫୬ ଦିନ ପରେ ତାଙ୍କ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଗେଜେଟ୍ ପ୍ରକାଶନରେ ବିଳମ୍ବ ଯୋଗୁଁ ଏହା ହୋଇଥିଲା।
ଅଜିତ ଯୋଗୀଙ୍କ ଚାଲି ଯାଇଥିଲା ଲୋକସଭା ସାଂସଦ ପଦ
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ୨୦୦୪ ରେ ଅନୁଷ୍ଠିତ ହୋଇଥିବା ୧୪ତମ ଲୋକସଭା ନିର୍ବାଚନରେ ରାଜ୍ୟର ମହାସମୁନ୍ଦ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୮ ଛତିଶଗଡ଼ ବିଧାନସଭା ନିର୍ବାଚନରେ ସେ ମାରୱାହି ଆସନରୁ ବିଜୟୀ ହୋଇଥିଲେ। ତଥାପି, ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ମଧ୍ୟ ସେ ତାଙ୍କର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇ ନଥିଲେ। ଡିସେମ୍ବର ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା ଏବଂ ଡିସେମ୍ବର ୧୧ ତାରିଖରେ ଗେଜେଟ୍ ପ୍ରକାଶିତ ହୋଇଥିଲା। ଯାହାର ଫଳସ୍ୱରୂପ ଡିସେମ୍ବର ୨୬ ତାରିଖରେ ତାଙ୍କର ସଦସ୍ୟତା ବାତିଲ ହୋଇଯାଇଥିଲା।
- Trending




