Blog
ଚାଲୁନି ‘ଆମ ବସ୍’ ! ରାଜଧାନୀରେ ଯାତ୍ରୀ ହନ୍ତସନ୍ତ !
ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଅସାଧାରଣ ଦୃଶ୍ୟ | ବସ୍ଷ୍ଟାଣ୍ଡରେ ଲୋକଙ୍କ ଲମ୍ବା ଲାଇନ୍ | ରାସ୍ତା କଡ଼ରେ ଅପେକ୍ଷାରେ ଠିଆ ହୋଇଥିବା ଶତାଧିକ ଯାତ୍ରୀ | କାହାର ଅଫିସ୍କୁ ଯିବା ଚିନ୍ତା | କାହାର ପରୀକ୍ଷା , କାହାର ହସ୍ପିଟାଲ୍ ଆଉ କାହାର ଜରୁରୀ କାମ | ହେଲେ ସମସ୍ତଙ୍କୁ ଅସୁବିଧାରେ ପକାଇଛି ରାଜଧାନୀର ଲାଇଫ୍ଲାଇନ୍ ବୋଲି କୁହାଯାଉଥିବା ‘ଆମ ବସ୍’ ସେବା ବନ୍ଦ ହେବା |

ହଁ ଆଜ୍ଞା ଭୁବନେଶ୍ୱର ପାତ୍ରପଡା ଡିପୋରେ ଆଜି ଭୋରୁ ଆରମ୍ଭ ହୋଇଛି ଆନ୍ଦୋଳନ | ଆଉ ଏହାର ସିଧା ପ୍ରଭାବ ପଡ଼ିଛି ସାଧାରଣ ଯାତ୍ରୀଙ୍କ ଉପରେ | ଡିପୋ ଭିତରେ ବସିଛନ୍ତି ଡ୍ରାଇଭର ଗାଇଡ୍, ଅନ୍ୟ କର୍ମଚାରୀମାନେ | ହାତରେ ବ୍ୟାନର… ମୁହଁରେ ନାରାବାଜି… ଆଉ ଏକମାତ୍ର ଦାବି… “ଆମ ଅଧିକାର ଦିଅ”| ସୂଚନା ଅନୁଯାୟୀ… ୪ ଦଫା ଦାବି ନେଇ ଆଜି ଭୋର ୪ଟାରୁ ଧାରଣାରେ ବସିଛନ୍ତି ‘ଆମ ବସ୍’ କର୍ମଚାରୀ | ଯାହାର ପରିଣାମ ସ୍ୱରୂପ ରାଜଧାନୀର ୪୫ଟି ରୁଟରେ ଚଳାଚଳ କରୁଥିବା ୧୧୭ଟି ବସ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି | କର୍ମଚାରୀମାନଙ୍କ ଅଭିଯୋଗ ଦୀର୍ଘଦିନ ଧରି ସେମାନଙ୍କୁ ଠିକ୍ ସମୟରେ ଦରମା ମିଳୁନାହିଁ | ଯାହା ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି | କେବଳ ସେତିକି ନୁହେଁ EPF ଓ ESI ଭଳି ମୌଳିକ ସୁବିଧା ମଧ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ | ଏହା ସହ ଗାଇଡମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ | ରାତିରେ ଡ୍ୟୁଟି ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା କହିଛନ୍ତି ଆନ୍ଦୋଳନକାରୀ |

ଆନ୍ଦୋଳନକାରୀଙ୍କ କହିବା କଥା ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହେଉନଥିଲା | ଯାହା ପରେ ଶେଷରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ସେମାନେ | ଆଉ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେପର୍ଯ୍ୟନ୍ତ ଦାବି ପୂରଣ ହେଉନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ଏପଟେ ‘ଆମ ବସ୍’ ସେବା ବନ୍ଦ ହେବା ପରେ ସବୁଠୁ ଅଧିକ ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ | ପ୍ରତିଦିନ ଅଫିସ୍, କଲେଜ୍, ସ୍କୁଲ୍ ଓ ହସ୍ପିଟାଲ୍କୁ ଯିବା ପାଇଁ ହଜାର ହଜାର ଲୋକ ‘ଆମ ବସ୍’ ଉପରେ ନିର୍ଭର କରନ୍ତି | ହେଲେ ହଠାତ୍ ସେବା ବନ୍ଦ ହୋଇଯିବାରୁ ଅଟୋ ଓ କ୍ୟାବ୍ରେ ଅଧିକ ଭଡ଼ା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ |

କେତେକ ସ୍ଥାନରେ ଅଟୋ ଚାଳକମାନେ ଅଧିକ ଭଡ଼ା ନେଉଥିବା ଅଭିଯୋଗ ମଧ୍ୟ ଆସିଛି | ଏପର୍ଯ୍ୟନ୍ତ ଏନେଇ ‘ଆମ ବସ୍’ କର୍ତ୍ତୃପକ୍ଷଙ୍କ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନି | ହେଲେ ରାଜଧାନୀବାସୀ ଏବେ ଅପେକ୍ଷାରେ କେବେ ସ୍ଥିତି ସାଧାରଣ ହେବ ଆଉ କେବେ ପୁଣି ଗଡ଼ିବ ‘ଆମ ବସ୍’ |
- Trending


