ବନ୍ଦ ହେଲା ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ | ଭାବବିହ୍ୱଳ ହଜାର ହଜାର ଭକ୍ତ |

ବୃନ୍ଦାବନ…ଯେଉଁଠାରେ ପ୍ରତିଦିନ ଭକ୍ତିର ମାହୋଲ୍ ସୃଷ୍ଟି ହୁଏ।ଯେଉଁଠାରେ କୃଷ୍ଣ ନାମ ସହ ଗୁଞ୍ଜରିତ ହୁଏ ପ୍ରେମାନନ୍ଦ ମହାରାଜଙ୍କ ପ୍ରବଚନ। ଦେଶ-ବିଦେଶରୁ ହଜାର ହଜାର ଭକ୍ତ କେବଳ ଗୋଟିଏ ଝଲକ ପାଇଁ ଛୁଟି ଆସନ୍ତି ବୃନ୍ଦାବନ। ଆଉ ସେହି ଭକ୍ତମାନଙ୍କ ପାଇଁ ପ୍ରତିଦିନର ସବୁଠାରୁ ବଡ଼ ଆକର୍ଷଣ ଥିଲା ପ୍ରେମାନନ୍ଦ ଜୀ ମହାରାଜଙ୍କ ପଦଯାତ୍ରା। କିନ୍ତୁ ଏବେ ସେହି ପଦଯାତ୍ରାକୁ ଅନିଶ୍ଚିତ କାଳ ପାଇଁ ବନ୍ଦ କରାଯାଇଛି।ଆଉ ଏହି ଖବର ଭକ୍ତମାନଙ୍କ ହୃଦୟକୁ ଗଭୀର ଭାବେ ଆଘାତ ଦେଇଛି।

 

ସୂଚନା ଅନୁସାରେ, ପ୍ରେମାନନ୍ଦ ମହାରାଜ ପ୍ରତିଦିନ ନିଜ କେଲି କୁଞ୍ଜ ଆଶ୍ରମରୁ ସୌଭରୀ କୁଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା କରୁଥିଲେ।ଏହି ସମୟରେ ତାଙ୍କୁ ଦର୍ଶନ କରିବା ଏବଂ ଆଶୀର୍ବାଦ ନେବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ।କାହାର ହାତରେ ଥାଉଥିଲା ମାଳା…କିଏ ଭଜନ କରୁଥିଲେ…ଆଉ କିଏ କେବଳ ମହାରାଜଙ୍କ ଗୋଟିଏ ଦର୍ଶନ ପାଇଁ ଅଧୀର ହୋଇ ରହୁଥିଲେ।ପଦଯାତ୍ରା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ…ଏହା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ଭାବନାର ସହ ଜଡ଼ିତ ଥିଲା।

କେବଳ ପଦଯାତ୍ରା ନୁହେଁ…ଏହା ସହିତ ଆୟୋଜିତ ହେଉଥିବା ‘ଏକାନ୍ତ ବାର୍ତ୍ତା’ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରାଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ମହାରାଜ ଭକ୍ତମାନଙ୍କ ଆଧ୍ୟାତ୍ମିକ ସମସ୍ୟା ଶୁଣୁଥିଲେ ଏବଂ ସେମାନଙ୍କୁ ମାର୍ଗଦର୍ଶନ ଦେଉଥିଲେ।ଅନେକ ଭକ୍ତଙ୍କ କହିବା ଅନୁସାରେ…ମହାରାଜଙ୍କ ପ୍ରବଚନ ତାଙ୍କ ଜୀବନକୁ ବଦଳାଇଦେଇଥିଲା।ତାଙ୍କ ମନର ଦୁଃଖ ଦୂର କରିଥିଲା।ଆଉ ସେମାନଙ୍କୁ ଆଧ୍ୟାତ୍ମିକ ଶାନ୍ତି ଦେଇଥିଲା।ସେଥିପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ହେବା ଖବର ଶୁଣି ଅନେକ ଭକ୍ତ ଭାଙ୍ଗିପଡ଼ିଛନ୍ତି।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି…ହଠାତ୍ କାହିଁକି ବନ୍ଦ କରାଗଲା ପ୍ରେମାନନ୍ଦ ଜୀଙ୍କ ପଦଯାତ୍ରା ?ଆଶ୍ରମ ପ୍ରଶାସନ ପକ୍ଷରୁ ଏହାର କୌଣସି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ।ଆଉ ଏହି କାରଣ ଅସ୍ପଷ୍ଟ ରହିଥିବାରୁ ଭକ୍ତମାନଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।କେହି ସ୍ୱାସ୍ଥ୍ୟଗତ କାରଣ କହୁଛନ୍ତି…ତ କେହି ସୁରକ୍ଷାକୁ ନେଇ ଅନୁମାନ କରୁଛନ୍ତି।ତେବେ ଆଶ୍ରମ ସହ ଜଡ଼ିତ ସଦସ୍ୟମାନେ ସମସ୍ତ ଭକ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ଓ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି।